କନକ ବ୍ୟୁରୋ: ଡୋକଲାମ ଅଚଳାବସ୍ଥାର ସମାଧାନ ପାଇଁ ଚୀନ୍ ନିଜ ସେନାକୁ ୧୦୦ ମିଟର ହଟାଇବାକୁ ରାଜି ହୋଇଥିବା ଖବର ମିଳିଛି । ଉଭୟ ରାଷ୍ଟ୍ର ମଧ୍ୟରେ କୂଟନୈତିକ ସ୍ତରରେ ଆଲୋଚନା ଜାରି ରହିଛି । ଭାରତ ନିଜ ସେନା ପ୍ରତ୍ୟାହାର କରିବା ପୂର୍ବରୁ ଚୀନ୍ ପ୍ରଥମେ ନିଜ ସେନାକୁ ସେଠାରୁ ୨୫୦ ମିଟର ପଛକୁ ହଟାଇ ନେବାକୁ ଭାରତ ଦାବି କରିଥିବା ବେଳେ ଚୀନ୍ ୧୦୦ ମିଟର ପଛକୁ ଫେରାଇବାକୁ ରାଜି ହୋଇଥିବା ଜାତୀୟ ଗଣମାଧ୍ୟମ ‘ଇଣ୍ଡିଆ ଟୁଡେ’ ପ୍ରକାଶ କରିଛି ।

Advertisment

ଏହି ସମସ୍ୟାର ଆପୋସ ବୁଝାମଣା ନିମନ୍ତେ ଉଭୟ ପକ୍ଷ ନିଜ ସେନାକୁ ସେଠାରୁ ପ୍ରତ୍ୟାହାର କରି ଆଲୋଚନା ଆରମ୍ଭ କରିବାକୁ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ପ୍ରସ୍ତାବ ଦେଇଥିଲେ । ତେବେ ଚୀନ୍ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲା । ଦୁଇ ସେନା ସେଠାରେ ଗତ ୭ ସପ୍ତାହ ହେଲା ମୁହାଁମୁହିଁ ହୋଇ ରହିଥିବା ବେଳେ ଚୀନ୍ ଦୋମୁହାଁ ନୀତି ଗ୍ରହଣ କରିଛି ।

ଏକପକ୍ଷରେ ଦୁଇ ସରକାର ସମସ୍ୟାର ସମାଧାନ ପାଇଁ କୂଟନୈତିକ ସ୍ତରରେ ଆଲୋଚନା ଜାରି ରଖିଛନ୍ତି । କୌଣସି ରାଷ୍ଟ୍ରମୁଖ୍ୟ ଏହି ବିବାଦ ନେଇ ଏପର୍ଯ୍ୟନ୍ତ ମୁହଁ ଖୋଲିନାହାନ୍ତି । ସେଠାରେ ଦୁଇ ସେନା ମଧ୍ୟରେ ଥରଟିଏ ମଧ୍ୟ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନାହିଁ । ଅନ୍ୟପକ୍ଷରେ ଚୀନ୍ ସରକାରଙ୍କ କର୍ମକର୍ତ୍ତା ଓ ରାଷ୍ଟ୍ରାୟତ୍ତ ଗଣମାଧ୍ୟମ ‘ଚାଇନା ଡେଲି’ ଏବଂ ଚୀନ୍ କମ୍ୟୁନିଷ୍ଟ ଦଳଦ୍ୱାରା ପରିଚାଳିତ ‘ଗ୍ଲୋବାଲ ଟାଇମ୍ସ’ ପ୍ରତିଦିନ ଭାରତ ବିରୋଧୀ ବୟାନବାଜି ଚଳାଇଛନ୍ତି ।

ସମସ୍ୟାର ସମ୍ମାନଜନକ ସମାଧାନ ପାଇଁ ଚୀନ୍ ସେଠାରୁ ପଛକୁ ସେନା ହଟାଇବାକୁ ରାଜି ହୋଇଥିବା ନେଇ ରିପୋର୍ଟ ମିଳିଥିବା ବେଳେ ସରକାର ଏହାକୁ ଅସ୍ୱୀକାର କରିଛନ୍ତି ବୋଲି ଗ୍ଲୋବାଲ ଟାଇମ୍ସ ପ୍ରକାଶ କରିଛି।